ବାହାଦୂର Read Count : 157

Category : Poems

Sub Category : N/A

ଶୀତୁଆ ଆକାଶଟା ଫାଙ୍କା ପଡିଛି

କାକର ସେପଟେ ଘାସକୁ ଓଦା କଲାଣି

ନିଆଁଟା ଲିଭିଜିବା ଉପରେ

ଗୋଟେ ହାତରେ ଟର୍ଚ୍ଚ ଆରଟାରେ ବାଡ଼ି

ମୁହଁରେ ହୁଇସିଲ ଫୁଙ୍କୁଛି

ଚୋର ବି ହାଡଭଙ୍ଗା ଶୀତରେ ବାହାରୁନି


ଦୁର୍ଗା ଆପାର୍ଟମେଣ୍ଟ ଏରିଆ ପୁରା ଶୂନଶାନ

ସବୁ କମ୍ବଳ ଭିତରେ ଘୁଙ୍ଗୁଡ଼ି ମାରିଲେଣି

ବିଲ୍ଡିଂଗ ସେକ୍ରେଟାରୀ ମିଶ୍ରବାବୁଙ୍କ ଆଦେଶ

ଆଜି ଡବଲ ଶିଫ୍ଟ ଡିଉଟି


ତିନି ଘେରା ବୁଲିଆସିଲା

ଟୁଲ ଉପରେ ବସିପଡ଼ିଲା

ପନ୍ଦର ଘଣ୍ଟା ଉପରେ ହେବ ଆଖିପତା ଲାଗିନି

ଥଣ୍ଡାରେ ନାକ ସଁ ସଁ କରୁଛି


କୁକୁର ଗୋଟେ ଜଗିଛି ତାକୁ

କିଏ ଗୋଟେ ଆସିଲେ ଭୁକିଦେବ

ତାକୁ ଉଠେଇଦେବ

ଡିଉଟିରେ ଶୋଇଥିବା ଦେଖିଲେ ଚାକିରୀ ଯିବ


ରାତି ଦିଟାରେ ପରିସ୍ରା ଲାଗିଲା ମିଶ୍ରବାବୁଙ୍କୁ

ବାଲକୋନୀ କବାଟ ଖୋଲିବା ପୂର୍ବରୁ

କୁକୁର ଭୋକିଦେଇଥିଲା


ହାତରେ ଟର୍ଚ୍ଚ ଆଉ ବାଡ଼ି

ପୁଣିଥରେ ହୁଇସିଲ ଫୁଙ୍କା ଚାଲୁଥିଲା


ଶୀତୁଆ ଆକାଶଟା ଫାଙ୍କା ଥିଲା

ଘାସଗୁଡା କାକରରେ ଓଦା ହେଉଥିଲା……..

Comments

  • No Comments
Log Out?

Are you sure you want to log out?