Category : Poems
Sub Category : N/A
ଗୁରୁଜୀ - ୨
ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)
ସୃଷ୍ଟି ଆରମ୍ଭରୁ ଗୁରୁ ଜନ୍ମିଥିଲେ
ସମସ୍ତ ପ୍ରଶ୍ନର ଉତ୍ତର ନେଇ,
ଗୁରୁ ହିଁ ଅମୃତ ଜ୍ଞାନର ଭଣ୍ଡାର
ଶିଷ୍ୟ ଜଗତର କଲ୍ୟାଣ ପାଇଁ ।
ଶିଷ୍ୟ ପାଇଁ ଗୁରୁ ଦେବ ଭଗବାନ
ତାଙ୍କରି ପ୍ରତିଟି କର୍ମ ହିଁ ପୂଣ୍ୟ,
ଗୁରୁ ସେବା ପଥ ଅନୁସରି ଶିଷ୍ୟ
ଲଭେ ମୁକ୍ତି - ମୋକ୍ଷ - ଆନନ୍ଦ - ଧର୍ମ ।
ଗୁରୁ ସେବା ପରା ଗୁରୁକୁଳ ଶିକ୍ଷା
ଶିଷ୍ୟ ପାଇଁ ଗୁରୁ ସାକ୍ଷାତେ ଈଶ,
ଆତ୍ମା ସଦଗତିର ଦ୍ବାର ହିଁ ତ ଗୁରୁ
ଗୁରୁ ବିନା ଶିଷ୍ୟ ଭୋଗଇ ବିଷ ।
କର୍ମଯୋଗ - ଜ୍ଞାନଯୋଗ - ଭକ୍ତିଯୋଗ
ଲଭିବାକୁ ଲୋଡା ଶ୍ରୀକୃଷ୍ଣ ସ୍ପର୍ଶ,
ଅର୍ଜୁନ ପରିକା ଶିଷ୍ୟ ମିଳେ ଯେବେ
ବିଶ୍ଵ ବ୍ରହ୍ମାଣ୍ଡରେ ଯଶ ହିଁ ଯଶ ।
ଗୁରୁଙ୍କ ଆଶିଷ ଲାଭ କରି ଶିଷ୍ୟ
ଧର୍ମ - ପ୍ରେମ ପଥେ ରଖଇ ଲୟ,
ଶିଷ୍ୟ ଏକା ଜାଣେ ଶ୍ରେଷ୍ଠ କିଏ ମର୍ତ୍ତ୍ଯେ
ସରଳ - କୋମଳ କାହା ହୃଦୟ ।
ଗୁରୁ ଓ ଶିଷ୍ଯର ସମ୍ପର୍କ ଅମ୍ଳାନ
ଶାଶ୍ବତ - ପବିତ୍ର - ସତ୍ୟ - ସୁନ୍ଦର,
ନିଃସ୍ଵାର୍ଥ ଭାବନା, ସାଧୁ - ହିତ ଚିନ୍ତା
ଗୁରୁ - ଶିଷ୍ଯ ଭାବ ସଦା ମଧୁର ।
ଶିଷ୍ୟର ପ୍ରତିଟି ଜୀବନ ପୃଷ୍ଠାରେ
ଗୁରୁଙ୍କର ଆଶିର୍ବାଦ ହିଁ ପୂର୍ଣ୍ଣ,
ଶିଷ୍ୟ ରଥ ହେଲେ ଗୁରୁ ହିଁ ସାରଥି
ଗୁରୁଦେବ ପରମାତ୍ମା ସମାନ ।
ଶିଷ୍ୟ ମୋକ୍ଷ ପାଏ ଗୁରୁ କୃପା ବଳେ
ମର୍ତ୍ତ୍ଯେ ସୁଖ - ଶାନ୍ତି ଲଭେ ସମ୍ମାନ,
ଶିଷ୍ୟ ଯନ୍ତ୍ର ହେଲେ ଗୁରୁ ମହାଯନ୍ତ୍ରୀ
ଗୁରୁ ହିଁ ଶିଷ୍ଯର ହୃଦ - ସ୍ପନ୍ଦନ ।
ଗୁରୁ ହିଁ ଶିଷ୍ଯର ଅନ୍ଧକାର ନାଶି
ଆଧ୍ୟାତ୍ମିକ ପଥେ ଚଲାନ୍ତି ପଥ,
ଗୁରୁବାଣୀ ଶୁଣି ଚିତ୍ତ ଉଲ୍ଲସିତ
ଶାନ୍ତି ନିରାମୟ ଜୀବନ ସୁସ୍ଥ ।
ଗୁରୁଦେବ ସଙ୍ଗ - ଦର୍ଶନରେ ଶିଷ୍ଯ
ସକଳ ବନ୍ଧନୁ ପାଏ ମୁକତି,
ଗୁରୁପାଦ ସେବି ଶିଷ୍ୟ ମହାକବି
ଶିଷ୍ୟ ଏକା ଜାଣେ ଗୁରୁ ଭକତି ।
କବି କୁଟୀର
ଦଣ୍ଡାସିଂହା, ବାରକୋଟ
ଦେବଗଡ (ଓଡିଶା)
ମୋ - ୦୯୬୬୮୨୪୨୭୨୦
Comments
- No Comments